ଶ୍ରୀଅରବିନ୍ଦଙ୍କ ଶିକ୍ଷା

ଏହାକୁ ଯୁଟ୍ୟୁବ୍‌ରେ ଦେଖନ୍ତୁ (YouTube): https://youtu.be/cXtCazKPMT0

ଶ୍ରୀଅରବିନ୍ଦଙ୍କ ଶିକ୍ଷାର ପ୍ରାରମ୍ଭ ହେଉଛି ଭାରତବର୍ଷର ପୁରାତନ ମୁନିଋଷିମାନଙ୍କ ଶିକ୍ଷାଠାରୁ ଯିଏକି ଏହି ଦୃଶ୍ୟମାନ ଜଗତର ପଶ୍ଚାତରେ ରହିଛନ୍ତି ବ୍ରହ୍ମ ଓ ପରା ଚେତନା, ସମଗ୍ର ସୃଷ୍ଟିର ଆତ୍ମା, ଅନନ୍ୟ, ଅନନ୍ତ । ସେହି ଅନନ୍ୟ ପରମ ସତ୍ତାଙ୍କ ମଧ୍ୟରୁ ସମସ୍ତ ସତ୍ତା ଏକତ୍ରିତ କିନ୍ତୁ ଚେତନାର ବିଛିନ୍ନତା ହେତୁ ସମସ୍ତେ ବିଭକ୍ତ ଏବଂ ସ୍ଵ ମନ, ପ୍ରାଣ ଶରୀରର ବାସ୍ତବ ଆତ୍ମସତ୍ତା ବିଷୟରେ ଅଜ୍ଞ । ଏକ ସୁନିର୍ଦ୍ଦିଷ୍ଟ ଅନୁଶାସନ ଦ୍ୱାରା ଏହି ବିଭକ୍ତ ଚେତନାର ଆଚ୍ଛାଦନକୁ ଅପସାରିତ କରି ନିଜର ଓ ସମସ୍ତଙ୍କ ଅନ୍ତଃସ୍ଥିତ ପରମାତ୍ମା, ଭଗବାନଙ୍କ ବିଷୟରେ ସଚେତନ ହେବା ସମ୍ଭବପର ।

ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶାଏ ଯେ ସେହି ଅନନ୍ୟ ସତ୍ତା ଓ ପରାଚେତନା ଜଡ ମଧ୍ୟରେ ବି ନିହିତ । ବିବର୍ତ୍ତନଧାରାରେ ଏହା ନିଜକୁ ମୁକ୍ତ କରେ, ଯାହା ଦିନେ ଅଚେତନ ମନେ ହେଉଥିଲା, ସେଠାରେ ଚେତନାର ସ୍ଫୁରଣ ହୁଏ, ଏବଂ ଥରେ ତାହା ପ୍ରକଟିତ ହେଲେ ସ୍ୱୟଂଚାଳିତ ହୋଇ ଉଚ୍ଚରୁ ଉଚ୍ଚତର ବର୍ଦ୍ଧିତ ଏବଂ ତତ ସହ ବିସ୍ତୃତ ଓ ଉନ୍ନତ ହୋଇ ବୃହତ୍ତରୁ ବୃହତ୍ତର ପୂର୍ଣ୍ଣତା ଦିଗକୁ ଅଗ୍ରସର ହୁଏ । ଚେତନା ମୁକ୍ତିର ପ୍ରଥମ ସୋପାନ ହେଉଛି ଜୀବନ; ମନ ତାର ଦ୍ଵିତୀୟ; କିନ୍ତୁ ମନ ବିବର୍ତ୍ତନର ଶେଷ ସୀମା ନୁହେଁ, ଏହା କୌଣସି ଏକ ମହତ୍ତର, ଆଧ୍ୟାତ୍ମିକ ଓ ମାନସୋତ୍ତର ଚେତନା ମଧ୍ୟରେ ନିଜକୁ ମୁକ୍ତ କରିବା ପାଇଁ ପ୍ରତୀକ୍ଷା କରେ । ବିବର୍ତ୍ତନର ପରବର୍ତ୍ତୀ ସୋପାନ ଉନ୍ନତ ହୋଇ ଅଧ୍ୟାତ୍ମ ଓ ଅତିମାନସ ଅଭିମୁଖେ ଅଗ୍ରସର ହେବା ଉଚିତ ଯାହା ଚେତନା ସତ୍ତାର ଅଧିପତି ହେବ । ତାହା ହେଲେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ଦେବତ୍ୱ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ ହେବ ଏବଂ ଜୀବନରେ ପୂର୍ଣ୍ଣତାର ପ୍ରକାଶ ସମ୍ଭବ ହେବ ।

କିନ୍ତୁ ବିବର୍ତ୍ତନର ବିଶ୍ୱପ୍ରକୃତି ପ୍ରଥମେ କାର୍ଯ୍ୟକଲା ଚେତନା ଶକ୍ତି ରହିତ ଉଦ୍ଭିଦ ଜଗତ ଓ ଜୀବଜନ୍ତୁଙ୍କ ମଧ୍ୟରେ, ମାନବ ମଧ୍ୟରେ ଯନ୍ତ୍ରର ସଚେତନ ସଂକଳ୍ପ ମାଧ୍ୟମରେ ବିଶ୍ୱପ୍ରକୃତି ପ୍ରସ୍ଫୁଟିତ ହେଲା ।ଯାହା ହେଲେ ବି ମନର ସଂକଳ୍ପ ଦ୍ୱାରା ଏହା ସମ୍ପୂର୍ଣ୍ଣ ରୂପେ ସାଧିତ ହୋଇ ପାରିବ ନାହିଁ, କାରଣ ମନ କେବଳ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ଗତି କରେ ତାପରେ ସେ କେବଳ ଚକ୍ରାକାରରେ ଘୂରି ବୁଲେ । ସେଥିପାଇଁ ଏକ ପରିବର୍ତ୍ତନ ଆବଶ୍ୟକ, ଚେତନାର ଗତି ପରିବର୍ତ୍ତନ ଯାହା ଫଳରେ ମନକୁ ଏକ ମହାନ ଧାରାରେ ରୂପାନ୍ତରିତ କରିବାକୁ ହେବ । ଏହି ପଦ୍ଧତି ପୁରାତନ ଯୋଗାଭ୍ୟାସ ଓ ମନସ୍ତାତ୍ୱିକ ଅନୁଶାସନ ଦ୍ୱାରା କରା ଯାଉଥିଲା । ଅତୀତରେ ସଂସାର ତ୍ୟାଗ କରି ପରମାତ୍ମାଙ୍କ ମଧ୍ୟରେ ଲୀନ ହୋଇଯିବା ପାଇଁ ସାଧନା କରୁଥିଲେ । ଶ୍ରୀଅରବିନ୍ଦଙ୍କ ଶିକ୍ଷା ହେଉଛି ଯେ ସେହି ମହାନ ଧାରାର ଅବତରଣ ମଧ୍ୟ ସମ୍ଭବ ଏବଂ କେବଳ ଯେ ସଂସାର ତ୍ୟାଗ କଲେ ମୁକ୍ତି ମିଳିବ ତାହା ନୁହେଁ, ସଂସାର ମଧ୍ୟରେ ରହି ମଧ୍ୟ ମୁକ୍ତି ଲାଭ ହେବ, ଏକ ଅତିମାନସିକ ସତ୍ୟ ଚେତନା ମନର ଅଜ୍ଞାନତା ଓ ସ୍ୱଳ୍ପ ଜ୍ଞାନର ସ୍ଥାନ ପୂରଣ କରିବ, ଏହା ଅନ୍ତଃସତ୍ତାକୁ ଜାଗ୍ରତ କରିବ ଏବଂ ମାନବ ତାର ପଶୁ ଚେତନା ମଧ୍ୟରୁ ଉନ୍ନୀତ ହୋଇ ଏକ ଦିବ୍ୟ ଜାତିରେ ପରିଣତ ହେବ । ଯୋଗର ମନସ୍ତାତ୍ୱିକ  ଅନୁଶାସନ ସେ ପର୍ଯ୍ୟନ୍ତ ଅଭ୍ୟାସ କରାଯାଇ ପାରିବ, ଯଦ୍ୱାରା ସତ୍ତାର ସମସ୍ତ ଅଙ୍ଗ ଉନ୍ମୁକ୍ତ ହୋଇ ଏକ ଉଚ୍ଚତର ଅତିମାନସ ଶକ୍ତିର ଯାହା ଏ ପର୍ଯ୍ୟନ୍ତ ଲୁକ୍କାୟିତ, ଅବତରଣ ଦ୍ୱାରା ପରିବର୍ତ୍ତିତ ବା ରୂପାନ୍ତରିତ ହେବେ ।

ତେଣୁ ତତକ୍ଷଣାତ୍, ସ୍ୱଳ୍ପ ସମୟରେ ଅଥବା କ୍ଷିପ୍ର ବା ଅଲୌକିକ ରୂପାନ୍ତର ହୋଇ ପାରିବ ନାହିଁ । ଅତିମାନସର ଅବତରଣ ପୂର୍ବରୁ ସାଧକକୁ ଅନେକ ସାଧନା କରିବାକୁ ହେବ । ଅଧିକାଂଶ ସମୟରେ ମାନବ ତାର ବାହ୍ୟ ମନ, ପ୍ରାଣ ଓ ଶରୀରରେ ବାସ କରେ କିନ୍ତୁ ତା ମଧ୍ୟରେ ଯେ ବହୁ ସମ୍ଭାବନାପୂର୍ଣ୍ଣ ଏକ ଅନ୍ତଃସତ୍ତା ରହିଛି ସେ ବିଷୟରେ ତାକୁ ସଚେତନ ହେବାକୁ ହେବ, ବର୍ତ୍ତମାନ ତାର ପ୍ରଭାବ ମଣିଷ ଉପରେ ସୀମାବଦ୍ଧ, କିନ୍ତୁ ତାହାହିଁ ତାକୁ ଏକ ମହାନ ଶ୍ରୀ, ସୌନ୍ଦର୍ଯ୍ୟ, ସମର୍ପି, ଶକ୍ତି ଓ ଜ୍ଞାନ ଅଭିମୁଖେ ପରିଚାଳିତ କରୁଛି ।

ତେଣୁ ଯୋଗର ପ୍ରଥମ ସୋପାନ ହେଉଛି ଆତ୍ମସତ୍ତାର ଏହି ସ୍ତର ପାଖକୁ ଉନ୍ମୁକ୍ତ କରି ତା ମଧ୍ୟରେ ବାସ କରିବାକୁ ହେବ, ସେଠାରୁ ବାହାରକୁ ଆସି ଅନ୍ତର୍ନିହିତ ଜ୍ୟୋତି ଓ ଶକ୍ତି ଦ୍ୱାରା ବାହ୍ୟ ଜୀବନକୁ ପରିଚାଳିତ କରିବାକୁ ହେବ । ଏପରି କରିବା ଦ୍ୱାରା ସେ ତାର ପ୍ରକୃତ ଆତ୍ମାକୁ ଆବିଷ୍କାର କରି ପାରିବ ଏବଂ ବୁଝିପାରିବ ଯେ ଏହା ତାର ବାହ୍ୟ ମାନସିକ, ପ୍ରାଣିକ ଓ ଶାରୀରିକ ଉପାଦାନର ମିଶ୍ରଣ ନୁହେଁ ବରଂ ସେମାନଙ୍କ ପଶ୍ଚାତରେ ଥିବା ବ୍ରହ୍ମାଂଶ, ପରମ ଦିବ୍ୟାଗ୍ନିର ଏକ ସ୍ଫୁଲିଙ୍ଗ । ତାକୁ ନିଜ ଆତ୍ମା ମଧ୍ୟରେ ବାସ କରି ସ୍ଵପ୍ରକୃତିର ଅବଶିଷ୍ଟାଂଶକୁ ବିଶୁଦ୍ଧ କରି ସ୍ଵତ୍ୟାଭିମୁଖେ ପରିଚାଳିତ କରିବାକୁ ହେବ । ତାପରେ ଏକ ଉର୍ଦ୍ଧ୍ୱମୁଖୀ ପଥ ଉନ୍ମୁକ୍ତ ହୋଇ ଦିବ୍ୟସତ୍ତାର ଧାରା ଅବତରଣ କରିବ । କିନ୍ତୁ ତଥାପି ମଧ୍ୟ ତୁରନ୍ତ ତାହା ଅଖଣ୍ଡ ଅତିମାନସ ଶକ୍ତି ଓ ଜ୍ୟୋତି ନୁହେଁ । କାରଣ ଅତିମାନସ ସତ୍ୟଚେତନା ଓ ସାଧାରଣ ମାନବ ମନ ମଧ୍ୟରେ ଚେତନାର ଅନେକ ସ୍ତର ରହିଛି । ଏହି ମଧ୍ୟବର୍ତ୍ତୀ ସ୍ତରମାନଙ୍କୁ ଉନ୍ମୁକ୍ତ କରି ସେମାନଙ୍କ ଶକ୍ତିକୁ ମନ, ପ୍ରାଣ ଓ ଶରୀର ମଧ୍ୟକୁ ଓହ୍ଲାଇ ଆଣିବାକୁ ହେବ । ତାପରେ ହିଁ ସତ୍ୟଚେତନାର ପୂର୍ଣ୍ଣ ଶକ୍ତି ପ୍ରକୃତି ମଧ୍ୟରେ କାର୍ଯ୍ୟ କରିବ । ଏହି ଆତ୍ମସଂଯମ ଅଥବା ସାଧନାର ପ୍ରକ୍ରିୟା ଦୀର୍ଘ ଓ ଦୁଃସାଧ୍ୟ କିନ୍ତୁ ତାର କିୟଦଂଶ ମଧ୍ୟ ଏକ ବିଶେଷ ପ୍ରାପ୍ତି କାରଣ ଏହା ହିଁ ଆଣିଦେବ ଚରମ ମୁକ୍ତି ଓ ସମ୍ଭାବ୍ୟ  ପୂର୍ଣ୍ଣତା ।

ପୁରାତନ ପଦ୍ଧତିରେ ଅନେକ କିଛି ରହିଛି ଯାହା ଏ ପଥରେ ସହାୟକ – ମନକୁ ମହାନ ବିଶାଳତା ପ୍ରତି ଉନ୍ମୋଚନ କରି ପରମାତ୍ମା ଓ ଅନନ୍ତଙ୍କ ଉପଲବ୍ଧି, ଜାଗତିକ ଚେତନା ମଧ୍ୟରୁ ନିର୍ଗମନ, କାମନା ବାସନା ଉପରେ କର୍ତ୍ତୃତ୍ୱ; ବାହ୍ୟ ସନ୍ନ୍ୟାସ ଅନାବଶ୍ୟକ କିନ୍ତୁ କାମନା ଓ ଆସକ୍ତି ଉପରେ ବିଜୟ, ଶରୀର ଓ ତାର ଦାବି, ଲୋଭ ଏବଂ ପ୍ରକୃତି ଉପରେ ପ୍ରଭୁତ୍ୱ ଅଧ୍ୟାବସାୟ । ପୁରାତନ ରୀତିର ଏକ ମିଶ୍ରଣ : ମନର ଜ୍ଞାନ ଦ୍ୱାରା ବାସ୍ତବ ରୂପ ଏବଂ ପ୍ରତୀୟମାନ ଆକୃତି ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ, ହୃଦୟର ଭକ୍ତି, ପ୍ରେମ ଓ ସମର୍ପଣର ଭାବ, ସ୍ୱାର୍ଥ ପ୍ରୋରଚିତ କାର୍ଯ୍ୟ ମଧ୍ୟରୁ ସତ୍ୟକୁ ଏବଂ ଅହଂକାର ମଧ୍ୟରୁ ଏକ ମହାନ ପରମ ସତ୍ତାଙ୍କ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପ ଶକ୍ତିର ପଥ ପରିବର୍ତ୍ତନ । ସମଗ୍ର ସତ୍ତାକୁ ଏପରି ଭାବେ ଶିକ୍ଷା ଦେବା ଉଚିତ ଯେ ଯେତେବେଳେ ପ୍ରକୃତି ମଧ୍ୟରେ ସେହି ବୃହତ୍ତର ଆଲୋକ ଓ ଶକ୍ତିର କାର୍ଯ୍ୟ ସମ୍ଭବ ହେବ ସେତେବେଳେ ସତ୍ତା ସେପରି ରୂପାନ୍ତରିତ ହେବା ପାଇଁ ପ୍ରସ୍ତୁତ ହୋଇଥିବ

ଏହି ଶୃଙ୍ଖଳା ପଦ୍ଧତିରେ ଗୁରୁଙ୍କର ପ୍ରେରଣା, ଦୁଷ୍କର ପରିସ୍ଥିତିରେ ତାଙ୍କର ଶାସନ ଓ ଉପସ୍ଥିତି ଏକାନ୍ତ ଆବଶ୍ୟକ – ଅନ୍ୟଥା ବହୁ ବାଧାବିଘ୍ନ, ଭୁଲଭ୍ରାନ୍ତି, ବାରମ୍ବାର ପଦସ୍ଖଳନ ବିନା ସାଫଲ୍ୟ ଲାଭ ପଥରେ ଅଗ୍ରସର ହେବା ଅସମ୍ଭବ । ସେହି ଗୁରୁ ଯେ ଉଚ୍ଚତର ଚେତନାସ୍ଥିତ ଏବଂ ପ୍ରାୟଶଃ ତାର ପ୍ରକାଶନ ବା ପ୍ରତିନିଧୂତ୍ଵର ସମ୍ମାନ ଲାଭ କରିଛନ୍ତି । ସେ କେବଳ ଯେ ତାଙ୍କ ଉପଦେଶ, ପ୍ରଭାବ ଓ ଉଦାହରଣ ଦ୍ଵାରା ସାହାଯ୍ୟ କରନ୍ତି ତାହା ନୁହେଁ ବରଂ ତାଙ୍କ ଶକ୍ତି ଦ୍ଵାରା ଅନ୍ୟମାନଙ୍କ ସହିତ ସ୍ଵଅନୁଭୂତିର ଯୋଗସୂତ୍ର ସ୍ଥାପନ କରନ୍ତି ।

ଏହାହିଁ ହେଉଛି ଶ୍ରୀଅରବିନ୍ଦଙ୍କ ଶିକ୍ଷା ଓ ସାଧନ ପ୍ରଣାଳୀ । କୌଣସି ଧର୍ମର ବିକାଶ କରିବା କିମ୍ବା ପୁରାତନ ଧର୍ମମାନଙ୍କର ସମନ୍ଵୟ ଅଥବା ଏକ ନୂତନ ଧର୍ମ ସ୍ଥାପନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କାରଣ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ତାଙ୍କର କେନ୍ଦ୍ରୀୟ ଲକ୍ଷ୍ୟଠାରୁ ଦୂରକୁ ନେଇଯିବ । ତାଙ୍କ ଯୋଗର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ସାଧକ ଯଥାର୍ଥ ସମୟରେ ସମସ୍ତଙ୍କ ମଧ୍ୟରେ ସେହି ଅନନ୍ୟ ପରମାତ୍ମାଙ୍କୁ ଦେଖିପାରିବ ଏବଂ ମାନସ ଚେତନା ଅପେକ୍ଷା ଏକ ଉଚ୍ଚତର ଆଧ୍ୟାତ୍ମିକ ଏବଂ ଅତିମାନସ ଚେତନା ଲାଭ କରି ମାନବ ପ୍ରକୃତିକୁ ରୂପାନ୍ତରିତ ଓ ଦିବ୍ୟ କରିବ ।

ଶ୍ରୀ ଅରବିନ୍ଦ

ଏକ ଶିଷ୍ୟଙ୍କୁ ପତ୍ର, ଫେବୃଆରୀ ୧୯୩୪

ସିଡବ୍ଲ୍ୟୁଏସଏ (CWSA) ଖଣ୍ଡ ୩୬, ଆତ୍ମଜୀବନୀୟ ଟୀକା, ପୃଷ୍ଠା: ୫୪୭-୫୫୦

ଓଡ଼ିଆ ଅନୁବାଦ: ଜ୍ୟୋତ୍ସ୍ନା ମହାନ୍ତି, ଶ୍ରୀଅରବିନ୍ଦ ଆଶ୍ରମ

ଏହାକୁ ଯୁଟ୍ୟୁବ୍‌ରେ ଦେଖନ୍ତୁ (YouTube): https://youtu.be/cXtCazKPMT0